Unknown

 

 

 

 

 

 

 

 

 

ହେମମାଳା

ଭକ୍ତକବି ମଧୁସୂଦନ ରାଓ

 

[କ୍ଷୁଦ୍ରଗଳ୍ପ]

 

ଆମ୍ଭମାନଙ୍କ ଗ୍ରାମ ରାମେଶ୍ୱର ଗଡ଼ର ଉତ୍ତରରେ ଦ୍ରୁତଗାମିନୀ ମନ୍ଦାକିନୀ ଚିତ୍ରକୂଟ ଗିରିପାଦ ପ୍ରକ୍ଷାଳନ କରି ମୃଦୁ କଳନାଦରେ ପ୍ରବାହିତ ହୋଇ ଯାଉଅଛି । ତୀରର ଅନତିଦୂରରେ ଗୋଟିଏ ଶିବମନ୍ଦିର । ମନ୍ଦିର ସମ୍ମୁଖରେ ଗୋଟିଏ ପୁଷ୍ପିତ ବକୁଳବୃକ୍ଷ । ମଧୁମୟ ନବ ବସନ୍ତପ୍ରଭାତର କନକକିରଣ-ପ୍ରବାହରେ ସ୍ନାତା ଧରଣୀ ଅନନ୍ତ ଆକାଶର ପ୍ରସନ୍ନ ପବିତ୍ର ମୁଖଆଡ଼କୁ ଅନାଇ ଆନନ୍ଦରେ ହସୁଅଛି । ପ୍ରଭାତୀ-ଗାୟକ କଜ୍ଜ୍ୱଳପତ୍ରୀର ପବିତ୍ର ସ୍ୱରତରଙ୍ଗ ସଙ୍ଗରେ କୋକିଳର ମନୋହର ତାନଲହରୀ ଅଦୂରବର୍ତ୍ତୀ କାନନକୁଞ୍ଜରୁ ଭାସି ଆସୁଅଛି । ଏହି ସମୟରେ ମୁଁ ନଦୀରେ ସ୍ନାନ ସମାପନ କରି ଶିବମନ୍ଦିର ଆଡ଼କୁ ଅଗ୍ରସର ହେଲି । ଦେବାଳୟର ସମ୍ମୁଖସ୍ଥ ବକୁଳମୂଳକୁ ଆସି ତାହାର ଏକ ପାର୍ଶ୍ୱରେ ଛିଡ଼ା ହୋଇଅଛି, ଏମନ୍ତ ସମୟରେ ଦେଖିଲି, ମନ୍ଦିର ମଧ୍ୟରୁ ଗୋଟିଏ ପରମା ସୁନ୍ଦରୀ ଷୋଡ଼ଶୀ ଯୁବତୀ ଦୁଇଜଣ ପ୍ରୌଢ଼ା ରମଣୀଙ୍କ ସଙ୍ଗରେ ବାହାରି ଆସି ସେହି ବୃକ୍ଷର ଅପରପାର୍ଶ୍ୱରେ ଛିଡ଼ା ହୋଇ ସତୃଷ୍ଣନୟନରେ ପୁଷ୍ପିତ ତରୁର ଶୋଭା ଦେଖୁଅଛି । ବୋଲିବା ବାହୁଲ୍ୟ ଯେ ଯୁବତୀ ମୋତେ ଦେଖିନାହିଁ, ମୁଁ ଦେଖିଲାକ୍ଷଣି ଚିହ୍ନିଲି, ମୋର ବାଲ୍ୟସଖୀ ହେମମାଳା । କ୍ଷଣେ ଆତ୍ମବିସ୍ମୃତ ହୋଇ ଅନାୟତ୍ତଭାବରେ ଡାକିଲି, ‘ହେମମାଳା’ ! ହେମମାଳା ଲଜ୍ଜିତ ଓ ବିସ୍ମିତ ହୋଇ ଥରେ ମୋ ଆଡ଼କୁ ଅନାଇଲା, ଦୁହିଁଙ୍କର ଦୃଷ୍ଟି କ୍ଷଣେ ସମ୍ମିଳିତ ହେଲା; କିନ୍ତୁ ପୁଣି କ୍ଷଣକେ ତାହାର ନୟନଦ୍ୱୟ ଆନତ ହେଲା ଏବଂ କପୋଳଦ୍ୱୟ ଲଜ୍ଜାର ପାଟଳିମାରେ ରଞ୍ଜିତ ହେଲା । ଚାହୁଁ ଚାହୁଁ ସେ ପ୍ରୌଢ଼ାଙ୍କ ସଙ୍ଗରେ ଚାଲିଗଲା ।

 

 

ସେହିଦିନ ସାୟଂକାଳରେ ହେମମାଳାର ଜନନୀ ମୋ ଜନନୀଙ୍କ ସଙ୍ଗରେ ସାକ୍ଷାତ୍‌ କରିବାକୁ ଆସିଲେ । ତହିଁ ଆରଦିନ ଶୁଣିଲି ଯେ, ହେମମାଳା ସଙ୍ଗରେ ମୋ ବିବାହର ପ୍ରସ୍ତାବ ହୋଇଅଛି; କିନ୍ତୁ ମୋହର ପିତା ସମ୍ମତି ଦେଇ ନାହାନ୍ତି । ଅଧୀର ହୃଦୟ ଉଦ୍‌ବେଗ ଓ ଆଶଙ୍କାରେ ପୂର୍ଣ୍ଣ ହେଲା; କିନ୍ତୁ ମାତାଙ୍କର ବ୍ୟାକୁଳ ପ୍ରାର୍ଥନା ପିତା ଅତିକ୍ରମ କରିପାରିଲେ ନାହିଁ । ସପ୍ତାହ ମଧ୍ୟରେ ସମ୍ମତି ପ୍ରଦାନ କଲେ । ଆସନ୍ତା ବୈଶାଖରେ ବିବାହ ହେବାର କଥା ନିର୍ଦ୍ଧାରିତ ହେଲା । ସେ ସମୟରେ ମୋହର ବୟସ ୨୧ ବର୍ଷ । କିନ୍ତୁ ଇତିମଧ୍ୟରେ ଉତ୍କଳସମ୍ରାଟ୍‌ ଗଙ୍ଗବଂଶାବତଂସ ମହାଯଶା ଶ୍ରୀ ପୁରୁଷୋତ୍ତମ ଦେବ କାଞ୍ଚୀନୃପତିଙ୍କ ସଙ୍ଗରେ ଯୁଦ୍ଧ ଘୋଷଣାକରି ସେନା ସଂଗ୍ରହ କରିବାକୁ ଲାଗିଲେ । ବୃଦ୍ଧ ପିତାଙ୍କ ପରିବର୍ତ୍ତରେ ମୋତେ ଗ୍ରାମସ୍ଥ ସୈନିକମାନଙ୍କର ଦଳପତି ହୋଇ ଯୁଦ୍ଧକୁ ଯିବା ନିମିତ୍ତ ଡାକରା ଆସିଲା । କ୍ଷଣକେ ମୋର ସକଳ ସୁଖର ଆଶା ନିର୍ମୂଳ ହେଲା । ଗ୍ରାମର ପ୍ରତ୍ୟେକ ଖଣ୍ଡାୟତଗୃହ ହାହାକାର ରବରେ ପୂର୍ଣ୍ଣ ହେଲା ।

 

 

ଗ୍ରାମରେ ସମରବାଦ୍ୟ ବାଜି ଉଠିଲା । ପିତା ମାତାଙ୍କର ଆଶୀର୍ବାଦ ଘେନି ଗ୍ରାମର ସେନାର ଅଗ୍ରଣୀରୂପେ ଗୃହ ତ୍ୟାଗ କଲି । ପ୍ରୋକ୍ତ ଶିବମନ୍ଦିର ନିକଟରେ ଗ୍ରାମର ନାରୀବୃନ୍ଦ ସମ୍ମିଳିତ ହୋଇ ଆମ୍ଭମାନଙ୍କ ମଙ୍ଗଳକାମନାରେ ଶିବପୂଜା କରି ସୈନ୍ୟଦର୍ଶନ ଅପେକ୍ଷାରେ ଛିଡ଼ା ହୋଇଅଛନ୍ତି-। ସୈନ୍ୟଦର୍ଶନ ମାତ୍ରକେ ଶତ ଶତ ରମଣୀଙ୍କ ଶୁଭ ଶଙ୍ଖଧ୍ୱନିରେ ଗଗନ ପୂର୍ଣ୍ଣ ହେଲା-। ସୈନିକମାନେ ପ୍ରତ୍ୟୁତ୍ତରରେ ‘ଜୟ ମହାରାଜ’ ନାଦରେ ଆକାଶ ନିନାଦିତ କଲେ-। ଏହି ସମୟରେ କାହାର ଅଶ୍ରୁପୂର୍ଣ୍ଣ ନୟନଶୋଭିତ ଆନନଶ୍ରୀ ମୋହର ଦୃଷ୍ଟିପଥର ପଥିକ ହେଲା, କାହାର ନୀରବ ନୟନର ଅମୃତ ଭାଷା ଏ ପ୍ରାଣକୁ ସୁଧାସିକ୍ତ କରି ଏ ହୃଦୟର ସାହସକୁ ଶତଗୁଣିତ କଲା । ମନେମନେ କହିଲି, ଅୟି ପ୍ରେମାଶ୍ରୁ ମୟି ! ତୁମ୍ଭର ଏହି ଅମୃତ ମୂର୍ତ୍ତିକୁ ହୃଦୟମନ୍ଦିରର ଅଧିଷ୍ଠାତ୍ରୀ ଦେବୀରୂପେ ସର୍ବଦା ରଣକ୍ଷେତ୍ରରେ ପୂଜା କରୁଥିବି ।

 

 

ଆମ୍ଭେମାନେ ସମରମଦରେ ମାତି ମହୋଲ୍ଲାସରେ କଳିଙ୍ଗସୀମା ପାର ହୋଇ ଶତ୍ରୁରାଜ୍ୟର ସୀମାନ୍ତରେ ଶିବିର ସନ୍ନିବେଶ କଲୁଁ । ମୁଁ ଥରେ ପଛକୁ ଦୃଷ୍ଟି ନିକ୍ଷେପ କଲି । ସ୍ୱର୍ଗାଦପି ଗରୀୟସୀ ଜନ୍ମଭୂମିର ଚିତ୍ରକୂଟତଟବାହିନୀ ମନ୍ଦାକିନୀତୀରବର୍ତ୍ତୀ ଶିବମନ୍ଦିରର ବିଦାୟ ଦିନର ସେହି ଦୃଶ୍ୟ–ହେମମାଳାର ସେହି ଅଶ୍ରୁମୟୀ ମୋହିନୀ ମୂର୍ତ୍ତି ମନୋନେତ୍ରରେ ନିରୀକ୍ଷଣ କଲି ।

 

 

କ୍ରମେ କ୍ରମେ ଉତ୍କଳର ଚତୁର୍ଦ୍ଦିଗରୁ ସେନାଦଳ ଆସି ସୀମାନ୍ତ ପ୍ରଦେଶରେ ଠୁଳ ହୁଅନ୍ତେ ମହାରାଜ ପୁରୁଷୋତ୍ତମ ଦେବ ନିଜେ ସମସ୍ତ ସୈନ୍ୟର ଅଗ୍ରଣୀ ହୋଇ ଶତ୍ରୁରାଜ୍ୟ ମଧ୍ୟକୁ ଅଗ୍ରସର ହେବାର ଆଜ୍ଞା ପ୍ରଦାନ କଲେ । ଆମ୍ଭେମାନେ ସୀମାନ୍ତ ଅତିକ୍ରମ କରି ପ୍ରାୟ ଶତ କ୍ରୋଶ ଉତ୍ତୀର୍ଣ୍ଣ ହେଲା ଉତ୍ତାରେ ଅଦୂରେ ବିପକ୍ଷସେନା ସନ୍ନିବେଶିତ ଥିବାର ସମ୍ବାଦ ପାଇଲୁଁ । କୋଲେର ହ୍ରଦତଟରେ ଆମ୍ଭମାନଙ୍କର ଶିବିର ସନ୍ନିବେଶିତ ହେଲା । ଆମ୍ଭେମାନେ ସେଠାରେ ଯୁଦ୍ଧର ପ୍ରତୀକ୍ଷା କରି ରହିଲୁଁ । ହଠାତ୍‌ ଏକଦିନ କୃଷ୍ଣପକ୍ଷର ତ୍ରୟୋଦଶୀ ରାତ୍ରିର ନିଶୀଥକାଳରେ ଆମ୍ଭେମାନେ ନିଦ୍ରିତ ଥିବା ସମୟରେ ବିଶ୍ୱାସଘାତକ ବିପକ୍ଷ ସେନା ଅଲକ୍ଷିତଭାବରେ ଗୋପନରେ ଆମ୍ଭମାନଙ୍କ ଶିବିର ଆକ୍ରମଣ କଲେ । ଏହା ଦେଖି ଆମ୍ଭମାନଙ୍କ ନେତୃବର୍ଗ ହଠାତ୍‌ ହତବୁଦ୍ଧି ହୋଇଗଲେ । ଯାହାହେଉ, ଆମ୍ଭମାନଙ୍କ ମଧ୍ୟରୁ କେତେକ ଦଳ ଯଥାସମ୍ଭବ କ୍ଷିପ୍ରକାରିତାସହକାରେ ସସଜ୍ଜହୋଇ ଶତ୍ରୁର ସମ୍ମୁଖୀନ ହେଲେ ଏବଂ ଅନ୍ୟ କେତେକ ବିଭୀଷିକାଗ୍ରସ୍ତ ହୋଇ ପଳାୟନର ପଥ ଅନ୍ୱେଷଣ କରିବାକୁ ଲାଗିଲେ । ଶତ୍ରୁସେନା ଏବଂ ଆମ୍ଭମାନଙ୍କ ସଜ୍ଜୀକୃତ ଦଳ ମଧ୍ୟରେ ଘୋର ରଣ ଉପସ୍ଥିତ ହେଲା । ଆମ୍ଭେମାନେ ପ୍ରାଣପଣେ ଯୁଦ୍ଧ କରି ଶତ ଶତ ଶତ୍ରୁ ଯମାଳୟକୁ ପ୍ରେରଣ କଲୁଁ; କିନ୍ତୁ ଶତ୍ରୁସୈନ୍ୟର ସଂଖ୍ୟା ଆମ୍ଭମାନଙ୍କର ଚତୁର୍ଗୁଣ ଥିଲା; ସୁତରାଂ ଅବଶେଷରେ ଏ ଅସମ ସଂଗ୍ରାମରେ ଆମ୍ଭେମାନେ ପରାସ୍ତ ହେଲୁଁ । ମୁଁ ଏହି ଯୁଦ୍ଧରେ ଦାରୁଣ ଆଘାତ ପାଇ ସଂଜ୍ଞାହୀନ ହୋଇ ଭୂତଳଶାୟିତ ହୋଇଥିବାରୁ ମୋହର ସଙ୍ଗୀବର୍ଗ ମୋତେ ମୃତ ବୋଲି ପରିତ୍ୟାଗ କରି ଚାଲିଗଲେ ।

 

 

ଦୁଇଦିନ ଉତ୍ତାରେ ସଂଜ୍ଞା ଲାଭ କରି ଦେଖିଲି ଯେ, ମୁଁ ଗୋଟିଏ ପର୍ଣ୍ଣକୁଟୀର ମଧ୍ୟରେ ରହିଅଛି ଏବଂ ମୋ ମସ୍ତକ ନିକଟରେ ଜଣେ ଦେବୋପମ ଦୀର୍ଘାକାର ପ୍ରଶାନ୍ତାକୃତି ସନ୍ନ୍ୟାସୀ ସେହି କୁଟୀର ମଧ୍ୟରେ ଧ୍ୟାନସ୍ତମିତଲୋଚନ ହୋଇ ଗମ୍ଭୀର ସ୍ତବପାଠ କରୁଅଛନ୍ତି । ଏ ଦୃଶ୍ୟ ଦର୍ଶନରେ ମୁଁ ବିସ୍ମିତ ପୁଲକାଞ୍ଚିତକଳେବର ଏବଂ ଅବାକ୍‌ ହୋଇ ରହିଲି । ଆରାଧନାନ୍ତେ ସନ୍ନ୍ୟାସୀ ବ୍ୟାଘ୍ରଚର୍ମାସନ ତ୍ୟାଗପୂର୍ବକ କି ଅମୃତମନ୍ତ୍ର ଉଚ୍ଚାରଣ କରି ମୋ ମସ୍ତକ ଓ ଲଲାଟକୁ ସ୍ନେହ-କୋମଳ ହସ୍ତରେ ସ୍ପର୍ଶ କଲେ ଏବଂ ମୋର ଚକ୍ଷୁ ଉନ୍ମୀଳିତ ଥିବାର ଦେଖି ଶୀତଳଜଳଦ୍ୱାରା ମୋ ମୁଖ ପ୍ରକ୍ଷାଳିତ କରି ଦୟାବିଗଳିତସ୍ୱରରେ କହିଲେ, ‘‘ବତ୍ସ, ଭୟ ନାହିଁ ।’’ ମୁଁ କ୍ଷୀଣ ଅସ୍ପଷ୍ଟସ୍ୱରରେ ପଚାରିଲି, ‘‘ମୁଁ ଏଠାକୁ କିପରି ଆସିଲି ?’’ ସନ୍ନ୍ୟାସୀ କହିଲେ, ‘‘ମୁଁ ତୁମ୍ଭଙ୍କୁ ଯୁଦ୍ଧକ୍ଷେତ୍ରରୁ ଏଠାକୁ ଆଣିଅଛି । ଭୟ କରନା, ଶୀଘ୍ର ସୁସ୍ଥ ହେବ ।’’

 

 

ସନ୍ନ୍ୟାସୀଙ୍କ କୁଟୀରରେ ପରମଯତ୍ନରେ ଶୁଶ୍ରୂଷିତ ହୋଇ ମୁଁ କ୍ରମେ କ୍ରମେ ପୂର୍ବ ବଳ ଓ ସ୍ୱାସ୍ଥ୍ୟ ଲାଭ କରିବାକୁ ଲାଗିଲି । ଦିନକରେ ସନ୍ନ୍ୟାସୀ ଆତ୍ମପରିଚୟ ଦେଇ କହିଲେ, ‘‘ମୁଁ ୧୦ବର୍ଷ ତଳେ ତୁମ୍ଭ ଗ୍ରାମର ଶିବମନ୍ଦିରରେ ଚାତୁର୍ମାସ୍ୟ ଯାପନ କରିଥିଲି । ତୁମ୍ଭେ ସେତେବେଳେ ଅଳ୍ପବୟସ୍କ ଥିଲ । ତୁମ୍ଭ ଗ୍ରାମର ବାଳକ ବାଳିକାମାନଙ୍କର ମୁଖ ଆଜିଯାଏ ମୋ ସ୍ମୃତିପଟରେ ଅଙ୍କିତ ଅଛି । ହେମମାଳା ନାମରେ ଗୋଟିଏ ଛଅ ସାତ ବର୍ଷର ପରମା ସୁନ୍ଦରୀ କନ୍ୟା ଦେଖିଥିଲି, ସେ ବିବାହିତା ହେଲାଣି କି ?’’ ଏ ପ୍ରଶ୍ନ ଶୁଣି ମୁଁ ଲଜ୍ଜା-ସଙ୍କୁଚିତ ହୋଇ ଉତ୍ତର କଲି, ‘‘ନାହିଁ ।’’ କିଛିଦିନ ଉତ୍ତାରେ ସେହି ପୁଣ୍ୟାତ୍ମା ସନ୍ନ୍ୟାସୀଙ୍କଠାରୁ ଶୁଣିଲି ଯେ, ମହାରାଜ ପୁରୁଷୋତ୍ତମ ଦେବ ଯୁଦ୍ଧର ବିଷମ ପରିମାଣ ଉତ୍ତାରେ ଭଗ୍ନମନୋରଥ ହେଲେହେଁ ଏକାବେଳକେ ନିରାଶ ନ ହୋଇ କତିପୟ ସୈନ୍ୟ କଳିଙ୍ଗପତ୍ତନ ନିକଟରେ ରଖାଇ ନୂତନ ସୈନ୍ୟ ସଂଗ୍ରହ ନିମିତ୍ତ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କରିଅଛନ୍ତି । ଅଳ୍ପକାଳ ମଧ୍ୟରେ ପୁନର୍ବାର ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ହେବେ । ମୁଁ ଏହି ସମ୍ବାଦ ଶୁଣି କଳିଙ୍ଗପତ୍ତନ ଯିବାର ଆକାଙ୍‌କ୍ଷା ପ୍ରକାଶ କରି ପରମଭକ୍ତିଭାଜନ ସନ୍ନ୍ୟାସୀଙ୍କଠାରୁ ବିଦାୟ ଗ୍ରହଣ କଲି ଏବଂ ଏକ ପକ୍ଷ ଉତ୍ତାରେ ସ୍ୱଦେଶୀୟ ସୈନ୍ୟଶିବିରରେ ଉପସ୍ଥିତ ହେଲି । ମୋର ପରିଚିତ ଲୋକେ ମୋତେ ଦେଖି ସହସା ନିଜ ଚକ୍ଷୁକୁ ବିଶ୍ୱାସ କରିପାରିଲେ ନାହିଁ । ମୁଁ କିପରି ସନ୍ନ୍ୟାସୀଙ୍କ କରୁଣାରେ ଜୀବନ ଲାଭ କରିଥିଲି, ତାହା ସେମାନଙ୍କୁ ଜଣାଇଲି । ସେମାନେ ବିସ୍ମିତ ହୋଇ କହିଲେ, ‘‘କି ଅଦ୍ଭୁତ କଥା ! ଭୟ ହେଉଛି, ତୁମ୍ଭ ମୃତ୍ୟୁସମ୍ବାଦ ତୁମ୍ଭ ଗୃହ ପର୍ଯ୍ୟନ୍ତ ଚାଲି ଯାଇଥିବ !’’ ମୁଁ ଏ କଥା ଶୁଣି ସ୍ତମ୍ଭିତ ହୋଇଗଲି । ହେମମାଳା ଏବଂ ବୃଦ୍ଧ ପିତା ମାତାଙ୍କ କଥା ମନରେ ପଡ଼ି ହୃଦୟକୁ ଆକୁଳ କରିବାକୁ ଲାଗିଲା । କ’ଣ କରିବି କିଛି ସ୍ଥିର କରିପାରିଲି ନାହିଁ-। ଏହି ସମୟରେ ଶିବିରର ଅଧ୍ୟକ୍ଷ ମୋର ଆଗମନବାର୍ତ୍ତା ପାଇ ମୋତେ ଡକାଇ ପୁନର୍ବାର ସେନାଭୁକ୍ତ କରି ଶତ ସୈନ୍ୟର ନାୟକତ୍ୱ ପ୍ରଦାନ କଲେ । ପରଦିନ ମହାରାଜ ପୁନର୍ବାର ଜୈତ୍ରଯାତ୍ରାରେ ବାହାରିଥିବାର ସମ୍ବାଦ ଏବଂ ଯୁଦ୍ଧଯାତ୍ରା ନିମିତ୍ତ ଆମ୍ଭମାନଙ୍କର ପ୍ରସ୍ତୁତ ହୋଇ ରହିବାର ଆଦେଶ ଶିବିରରେ ଉପଗତ ହେଲା । ଆଠଦିନ ମଧ୍ୟରେ ମହାରାଜ ସସୈନ୍ୟ ଆମ୍ଭମାନଙ୍କ ସଙ୍ଗେ ମିଳିତ ହେଲେ । ଆମ୍ଭେମାନେ ପୁଣି ଶତ୍ରୁରାଜ୍ୟରେ ଘୋର ଭୈରବ ଭାବରେ ପ୍ରବେଶ କଲୁଁ । ପ୍ରଥମ ଥର ମହାରାଜ ପୁରୁଷୋତ୍ତମ ଦେବ ପରାସ୍ତ ହୋଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହୋଇଥିବାରୁ, କାଞ୍ଚୀନୃପତି ଜୟୋଲ୍ଲାସରେ ମାତି ଉତ୍କଳାଧିପତି ଏବଂ ତାହାଙ୍କର ସୈନ୍ୟଙ୍କୁ ଅକିଞ୍ଚତ୍‌କର ମଣି ନିଶ୍ଚିନ୍ତ ଥିଲେ । ଏବେ ଆମ୍ଭେମାନେ ତାଙ୍କ ରାଜ୍ୟ ଆକ୍ରମଣ କରିଥିବାର ବାର୍ତ୍ତା ପାଇ ନିଜ ରାଜଧାନୀର ରକ୍ଷା ନିମିତ୍ତ ଯଥୋଚିତ ଆୟୋଜନ କରି ଆମ୍ଭମାନଙ୍କୁ ଯୁଦ୍ଧରେ ଭେଟିବା ନିମିତ୍ତ ଉତ୍ତରାଭିମୁଖରେ ଯାତ୍ରା କଲେ । ପ୍ରଥମରେ ଯୁଦ୍ଧ ହେଲା, ସେଥିରେ ସେ ପରାସ୍ତହୋଇ ରାଜଧାନୀକୁ ପଳାୟନ କଲେ । ଆମ୍ଭେମାନେ ଗୋଡ଼ାଇ ଆସି କାଞ୍ଚୀନଗର ଅବରୋଧ କଲୁଁ । ମାସାଧିକ କାଳ ଘୋର ଯୁଦ୍ଧ ହେଲା । ଅବଶେଷରେ ଆମ୍ଭେମାନେ ବହୁବାର ନିଷ୍ଫଳପ୍ରୟାସ ହେଲା ଉତ୍ତାରେ ନଗର ମଧ୍ୟରେ ପ୍ରବେଶ କଲୁଁ । କାଞ୍ଚୀନୃପତି ଶରଣ ପ୍ରାର୍ଥନା କରି ତାଙ୍କର ଭୁବନମୋହିନୀ କନ୍ୟା ପଦ୍ମାବତୀଙ୍କୁ ମହାରାଜାଙ୍କ ହସ୍ତରେ ସମର୍ପଣ କଲେ । ଦୟାର୍ଦ୍ରଚିତ୍ତ ମହାମନା ଶ୍ରୀପୁରୁଷୋତ୍ତମ ଦେବ ଶତ୍ରୁର ଦୁର୍ଗତି ଦେଖି ତାହାଙ୍କୁ କ୍ଷମାକରି ସମସ୍ତ କାଞ୍ଚୀରାଜ୍ୟ ପ୍ରତ୍ୟର୍ପଣ କରି ଏବଂ ପଦ୍ମାବତୀଙ୍କୁ ସଙ୍ଗରେ ଘେନି ନିଜ ରାଜଧାନୀକୁ ରଥଯାତ୍ରା ସମୟକୁ ବାହୁଡ଼ି ଆସିଲେ । ଆମ୍ଭେମାନେ ମହାରାଜାଙ୍କ ଗହଣରେ ଶ୍ରୀକ୍ଷେତ୍ରକୁ ଆସିଲୁଁ । ରଥୋପରି ପ୍ରତିଷ୍ଠିତ ଜଗନ୍ନାଥମୂର୍ତ୍ତି ସମ୍ମୁଖରେ ସମ୍ମାର୍ଜନ କାର୍ଯ୍ୟରେ ନିଯୁକ୍ତ ମହାରାଜ ପୁରୁଷୋତ୍ତମଦେବଙ୍କ ହସ୍ତରେ ପଦ୍ମାବତୀ ଅର୍ପିତ ହୋଇ ଉତ୍କଳନରପତିଙ୍କର ମହିଷୀରୂପେ ରାଜସିଂହାସନ ଉଜ୍ଜ୍ୱଳ କଲେ । ପୁରୀ ନଗରୀରେ ଯୁଗପତ୍‌ ଜୟୋତ୍ସବ, ବିବାହୋତ୍ସବ, ରଥୋତ୍ସବରୂପ ମହାମହୋତ୍ସବ ଲାଗିଗଲା-। ଯୁଦ୍ଧରୁ ପ୍ରତ୍ୟାବୃତ୍ତ ସମସ୍ତ ସାମନ୍ତ, ସେନାପତି ଓ ସୈନିକ ଯଥାଯୋଗ୍ୟ ପୁରସ୍କାର ପାଇ ଉଲ୍ଲସିତ ହୃଦୟରେ ଯେଝା ଘରକୁ ଲେଉଟିଗଲେ । ମୁଁ ମଧ୍ୟ ପୁରସ୍କୃତ ହୋଇ ଗୃହକୁ ବାହୁଡ଼ିଲି ।

 

 

ଇତିପୂର୍ବେ କହିଅଛି ଯେ, ପ୍ରଥମ ଯୁଦ୍ଧର ପରାଜୟ ଉତ୍ତାରେ କଳିଙ୍ଗପତ୍ତନକୁ ଲେଉଟି ଆସିଲା ପରେ ମୋର ମୃତ୍ୟୁସମ୍ବାଦ ଗ୍ରାମକୁ ଯାଇଥିବ ବୋଲି ମନରେ ଆଶଙ୍କା ହୋଇଥିଲା । ବାସ୍ତବରେ ସେ ସମ୍ବାଦ ପ୍ରଥମ ଯୁଦ୍ଧର କିଛିଦିନ ପରେ ଗ୍ରାମରେ ଉପସ୍ଥିତ ହୋଇଥିଲା । ଘୋର ଶୋକବାତ୍ୟାର ଭୟାବହ ଆବର୍ତ୍ତ ମଧ୍ୟରେ ପଡ଼ି ଜନନୀ ଜୀବଲୀଳା ସମ୍ବରଣ କଲେ । ପିତା ଜୀବନ୍ମୃତ ହୋଇ ନୈରାଶ୍ୟଜର୍ଜରିତ ହୃଦୟରେ ଦିନାତିପାତ କରିବାକୁ ଲାଗିଲେ । ଆଉ ହେମମାଳାର କଥା କ’ଣ କହିବି ? ତାହାର ସୁକୁମାର ହୃଦୟରେ ନିଦାରୁଣ ବଜ୍ର ପଡ଼ି ତାହାକୁ ରୋଗଶଯ୍ୟାରେ ଶୟନ କରାଇଲା । ତାହାର ହୃଦୟର ଅନ୍ତଃସ୍ଥଳରେ ଯେଉଁ ଶଲ୍ୟ ବିଦ୍ଧ ହୋଇଥିଲା, ତାହା ତାହାର ଜୀବନଶୋଣିତ ଶୋଷଣ କରିବାକୁ ଲାଗିଲା । ସେହି ସୁଧାଂଶୁବନ୍ଦିତ ଲଳିତ ଶରୀର ଦିନକୁ ଦିନ ଭୟାବହ କ୍ଷୟରୋଗର ନିଦାରୁଣ ପ୍ରବାହରେ କୃଷ୍ଣପକ୍ଷର ଚାନ୍ଦ୍ରମସୀ କଳାତୁଲ୍ୟ ଦିନକୁ ଦିନ କ୍ଷୀଣ ହେବାକୁ ଲାଗିଲା । ଏହି ସମୟରେ ମୋର ସେହି ପୂର୍ବକଥିତ ପ୍ରାଣରକ୍ଷକ ପରମବନ୍ଦନୀୟ ସନ୍ନ୍ୟାସୀ ଆମ୍ଭମାନଙ୍କ ଗ୍ରାମରେ ଆସି ମୋର ମୃତ୍ୟୁସମ୍ବାଦ ମିଥ୍ୟା ଥିବାର ଏବଂ ମୁଁ ଜୀବିତ ଥାଇ ଦ୍ୱିତୀୟ ଯୁଦ୍ଧର ମହାଜୟ ଉତ୍ତାରେ ମହାରାଜଙ୍କ ଗହଣରେ ପ୍ରତ୍ୟାବର୍ତ୍ତନ କରୁଥିବାର ବାର୍ତ୍ତା ପ୍ରଚାର କଲେ । ଏ ସମ୍ବାଦ ଯଥାସମୟରେ ହେମମାଳାର କର୍ଣ୍ଣଗୋଚର ହେଲା । କିନ୍ତୁ ସେ ମୃତ୍ୟୁପଥରେ ବହୁଦୂର ଅଗ୍ରସର ହୋଇଥିଲା । ସେ ବୁଝିପାରିଥିଲା ଯେ, ତାହାର ମୃତ୍ୟୁ ନିକଟବର୍ତ୍ତୀ । ତଥାପି ମରଣ ପୂର୍ବରୁ ଥରେ ମୋତେ ଦେଖିବ, ଏତିକି ମାତ୍ର ତାହାର ହୃଦ୍‌ଗତ ପ୍ରାର୍ଥନା ଥିଲା । ଇତିପୂର୍ବେ ତାହାର ଆତ୍ମୀୟବର୍ଗ ତାହାର ଚିକିତ୍ସା କରାଇଥିଲେ; କିନ୍ତୁ କିଛି ପ୍ରତିକାର ନୋହିବାରୁ ନିରାଶ ହୋଇପଡ଼ିଥିଲେ । ବର୍ତ୍ତମାନ ସନ୍ନ୍ୟାସୀ ମହାତ୍ମାଙ୍କ ଆଗମନ ଦେଖି ତାହାଙ୍କୁ ହେମମାଳାର ପ୍ରାଣରକ୍ଷାର୍ଥ ପ୍ରାର୍ଥନା କଲେ । ସନ୍ନ୍ୟାସୀ ହେମମାଳାକୁ ଦେଖିବାକୁ ଗଲେ ଏବଂ ନାନା କଥା ପଚାରୁ ପଚାରୁ ହେମମାଳା ସଙ୍ଗରେ ମୋର ବିବାହ ନିର୍ବନ୍ଧ ହୋଇଥିବାର ସମ୍ବାଦ ଅବଗତ ହେଲେ । ସନ୍ନ୍ୟାସୀ ଏହିପ୍ରକାରେ ରୋଗର ନିଗୂଢ଼ କାରଣ–ଯାହା ଅଦ୍ୟାପି ଅନ୍ୟ କେହି ବୁଝି ପାରି ନ ଥିଲେ ତାହା ଜାଣିପାରିଲେ-। ହେମମାଳାର ଅବସ୍ଥା ଦେଖି ଆରୋଗ୍ୟର ଆଶା ନ ଥିବାର ଜାଣି ମନେମନେ ଦୁଃଖିତ ହେଲେ; କିନ୍ତୁ ଆପଣାର ମନୋଗତ ଭାବ ବ୍ୟକ୍ତ ନ କରି କହିଲେ, ‘‘ତିନିଦିନ ପରେ ଔଷଧ ଦିଆଯିବ, ଇତିମଧ୍ୟରେ ମୁଁ ପ୍ରତିଦିନ ଆସି ଶାନ୍ତିଜଳଦ୍ୱାରା ହେମମାଳାର ଲଲାଟ ଧୋଇ ଦେଇ ଯାଉଥିବି-।’’ ଏହା କହି ସେହି ପ୍ରଶାନ୍ତାତ୍ମା ସନ୍ନ୍ୟାସୀ କମଣ୍ଡଳରୁ ଜଳ ଗ୍ରହଣ କରି ହେମମାଳାର ଲଲାଟ ଧୋଇ ଦେଲେ ଏବଂ ମସ୍ତକରେ ଜଳ ସିଞ୍ଚି ଦେଲେ ଏବଂ କହିଲେ, ‘‘ମା, ହେମମାଳା, ତୁ ଓ ବିକ୍ରମ ପିଲାଦିନରେ ମୋ ନିକଟରେ ଶିବମନ୍ଦିରରେ ଖେଳୁଥିଲ, ମନେ ଅଛି କି-?’’ ହେମମାଳା କିଛି କହିଲା ନାହିଁ; କିନ୍ତୁ ସେହି ପ୍ରଶାନ୍ତମୂର୍ତ୍ତି ସନ୍ନ୍ୟାସୀଙ୍କ ସନ୍ନିଧାନ ହେତୁ ଅଥବା ବାଲ୍ୟକାଳର ସେହି ପବିତ୍ର ସ୍ମୃତିର ପ୍ରଶାନ୍ତ ପ୍ରଭାବଦ୍ୱାରା ତାହାର ଚକ୍ଷୁ ଓ ଲଲାଟ ଅପୂର୍ବ ସ୍ନିଗ୍ଧ କାନ୍ତିରେ ଅନୁରଞ୍ଜିତ ହେଲା ।

 

 

ସନ୍ନ୍ୟାସୀ ଦ୍ୱିତୀୟ ଦିନ ସାୟଂକାଳରେ ଶିବମନ୍ଦିରରେ ସନ୍ଧ୍ୟା ସମାପନ କରି ବକୁଳମୂଳରେ ଏକାକୀ ବସିଅଛନ୍ତି, ଏହି ସମୟରେ ମୁଁ ଦୀର୍ଘ ପ୍ରବାସ ପରେ ନିଜ ପ୍ରାଣାଧିକ ଗ୍ରାମସୀମାରେ ଉପନୀତ ହେଲି । ଗୃହକୁ ଯିବା ପୂର୍ବେ ମହାଦେବମନ୍ଦିରରେ ପ୍ରଣାମ କରିବା ଆଶ୍ରୟରେ ଘୋଟକରୁ ଓହ୍ଲାଇ ନଦୀଜଳରେ ଶରୀରଶୌଚ ବିଧାନ କରି ମନ୍ଦିର ଆଡ଼କୁ ଅଗ୍ରସର ହୋଇ ନାନା ସ୍ନିଗ୍ଧ ପୁଣ୍ୟ ମନୋହର ସ୍ମୃତିବିଜଡ଼ିତ ସେହି ବକୁଳମୂଳରେ ସହସା ମୋର ଜୀବନରକ୍ଷକ ସେହି ଦେବୋପମ ସନ୍ନ୍ୟାସୀଙ୍କୁ ଆସୀନ ଦେଖି ବିସ୍ମୟାନନ୍ଦରେ ନିମଗ୍ନ ହୋଇ ତାଙ୍କର ଚରଣ ବନ୍ଦନା କଲି । ସନ୍ନ୍ୟାସୀ ସ୍ୱର୍ଗୀୟ ବାତ୍ସଲ୍ୟସହକାରେ ମୋତେ ଆଶୀର୍ବାଦ କରି କହିଲେ,‘‘ବତ୍ସ, ଦେବବନ୍ଦନା କରି ଆସ ।’’ ମୁଁ ମନ୍ଦିରରେ ପ୍ରଣାମ କରି ପୁଣି ତାଙ୍କ ନିକଟରେ ଉପସ୍ଥିତ ହେଲି । ସନ୍ନ୍ୟାସୀ ମୋତେ ନିକଟରେ ବସାଇ କହିଲେ, ‘‘ବତ୍ସ, ତୁମ୍ଭ ପ୍ରେମବ୍ୟାକୁଳ ହୃଦୟର ଆକାଂକ୍ଷା ମୁଁ ବୁଝିପାରିଅଛି; କିନ୍ତୁ ତାହା ଇହଲୋକରେ ପୂର୍ଣ୍ଣ ହେବାର ସମ୍ଭାବନା ଦିଶୁ ନାହିଁ ।’’ ଏହା କହି ହେମମାଳାର ପୀଡ଼ାର ବୃତ୍ତାନ୍ତ ମୋତେ ଜଣାଇଲେ ।

 

୧୦

 

ମୁଁ ସନ୍ନ୍ୟାସୀଙ୍କ କଥା ଶୁଣି କ୍ଷଣକାଳ ସ୍ତମ୍ଭିତ ହୋଇ ରହିଲି । ପରେ ତାହାଙ୍କୁ ପ୍ରଣାମ କରି ଗ୍ରାମ ଆଡ଼କୁ ଯିବାକୁ ଉଦ୍ୟତ ହୁଅନ୍ତେ, ସନ୍ନ୍ୟାସୀ କହିଲେ, ‘‘ରହ, ମୁଁ ତୁମ୍ଭ ସଙ୍ଗରେ ଯିବି ।’’

 

ସେ ଦିନ ବାହୁଡ଼ା ପୂର୍ଣ୍ଣିମା; କିନ୍ତୁ ପ୍ରଦୋଷରେ ନିବିଡ଼ ମେଘରାଶି ଘୋଟି ରହିଥିଲା, ମଧ୍ୟେ ମଧ୍ୟେ ବିଦ୍ୟୁତର ତୀକ୍ଷ୍ଣ ଚକିତ ଛଟା ଏବଂ ବଜ୍ରର ଘୋର ଗମ୍ଭୀର ଗର୍ଜନଦ୍ୱାରା ଆସନ୍ନ ବୃଷ୍ଟି ସୂଚିତ ହେଉଥିଲା । ଆମ୍ଭେ ଦୁହେଁ ଗ୍ରାମ ଆଡ଼କୁ ଘୋର ଅନ୍ଧକାର ମଧ୍ୟରେ ଅଗ୍ରସର ହେଲୁଁ । ପଥ ମଧ୍ୟରେ ବୃଷ୍ଟିର ଆରମ୍ଭ ହେଲା । ଗ୍ରାମ ମଧ୍ୟରେ ପ୍ରବେଶ କଲା ବେଳକୁ ମୂଷଳଧାରାରେ ବୃଷ୍ଟି ପଡ଼ିବାକୁ ଲାଗିଲା । ହେମମାଳାର ଗୃହ ସମୀପରେ ସନ୍ନ୍ୟାସୀ ଛିଡ଼ା ହେଲେ ଏବଂ ମୋତେ ମଧ୍ୟ ସେହି ଗୃହର ପିଣ୍ଡାରେ ଛିଡ଼ା ହେବାପାଇଁ ଆଦେଶ କଲେ । ଏହି ସମୟରେ ମୋର ଅଧୀର ହୃଦୟର ଉଦ୍‌ବେଗ ଓ ଉତ୍କଣ୍ଠା ଶତଗୁଣିତ ହୋଇଗଲା । ସନ୍ନ୍ୟାସୀ ଦ୍ୱାରରେ ଆଘାତ କରନ୍ତେ ଦ୍ୱାର ଉଦ୍‌ଘାଟିତ ହେଲା । ସନ୍ନ୍ୟାସୀଙ୍କ ଇଙ୍ଗିତ ଅନୁସାରେ ମୁଁ ତାଙ୍କ ସଙ୍ଗରେ ଗୃହ ମଧ୍ୟରେ ପ୍ରବେଶ କଲି । ଗୃହ ମଧ୍ୟରେ ଗୋଟିଏ ଶଯ୍ୟା ଉପରେ ମୂର୍ଚ୍ଛିତା ହେମମାଳା ଶାୟିତ ରହିଅଛି । ପାର୍ଶ୍ୱରେ ତାହାର ଜନନୀ ବସି ରୋଦନ କରୁଅଛନ୍ତି । ସନ୍ନ୍ୟାସୀ ହେମମାଳାର ଲଲାଟ ଧୌତ କରିଦେଲେ । କିଛିକ୍ଷଣ ପରେ ହେମମାଳାର ମୂର୍ଚ୍ଛା ଅପସାରିତ ହେଲା ଏବଂ ସେ ଅବଶ ଲୋଚନଯୁଗଳ ଧୀରେ ଧୀରେ ଉନ୍ମୀଳନ କଲା । କିଛିକ୍ଷଣ ପରେ ସନ୍ନ୍ୟାସୀ କହିଲେ, ‘‘ମା ହେମମାଳା, ଦେଖ, ବିକ୍ରମ ଆସିଅଛନ୍ତି ।’’ ବିହ୍ୱଳହୃଦୟା ବାଳିକା ମୋ ଆଡ଼କୁ କ୍ଷଣେ ସ୍ଥିରଦୃଷ୍ଟିରେ ଅନାଇଲା, ପରେ ନେତ୍ରଦ୍ୱୟ ଅଶ୍ରୁପୂର୍ଣ୍ଣ ହେଲା, ଶେଷରେ ବିଷାଦଚ୍ଛାୟମଳିନ ଆନନ ପ୍ରଶାନ୍ତ ସ୍ୱର୍ଗୀୟ ଜ୍ୟୋତିରେ ପ୍ରଫୁଲ୍ଲ ଏବଂ ଉଜ୍ଜ୍ୱଳଭାବ ଧାରଣ କଲା । ପୁଣି ପରକ୍ଷଣରେ ପରିବର୍ତ୍ତନ ଉପସ୍ଥିତ ହେଲା । କ୍ରମେ କ୍ରମେ ନେତ୍ରଦ୍ୱୟ ନିମୀଳିତ ହୋଇ ଆସିଲା, ହୃତ୍‌ସ୍ପନ୍ଦନ ସ୍ତମ୍ଭିତ ହୋଇଗଲା ଏବଂ ପ୍ରାଣପକ୍ଷୀ ଶରୀରପିଞ୍ଜରରୁ ଉଡ଼ିଗଲା ! ସନ୍ନ୍ୟାସୀ ‘ଓଁ ଶାନ୍ତିଃ’ କହି ହେମମାଳାର ଜନନୀକୁ ପ୍ରବୋଧ ଦେଇ ମୋର ହସ୍ତ ଆକର୍ଷଣ କରି ବାହାରକୁ ଚାଲିଆସିଲେ । ମୋର ସମସ୍ତ ସୁଖସ୍ୱପ୍ନ ମୁହୂର୍ତ୍ତକେ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା । ମୁଁ ସେହି ରାତ୍ରିରେ ପିତୃଚରଣ ବନ୍ଦନା କରି ସଂସାର ପରିତ୍ୟାଗ କଲି ଏବଂ ସେହିଦିନୁ ସନ୍ନ୍ୟାସୀଙ୍କ ସଙ୍ଗରେ ଉଦାସହୃଦୟରେ ହେମମାଳାର ସ୍ମୃତିକୁ ସଙ୍ଖାଳି କରି ବୁଲୁଅଛି ।

Image